Unknown

 

 

 

 

 

 

 

 

 

ସମ୍ରାଟ ଚରିତ

ପଣ୍ଡିତ ନୀଳମଣି ବିଦ୍ୟାରତ୍ନ

 

ଆମ୍ଭମାନଙ୍କର ସମ୍ରାଟ ଏବଂ ଇଂଲଣ୍ଡର ରାଜା ସପ୍ତମ ଏଡୋୟାର୍ଡ଼ ବିଶତ ୧୮୪୧ ଖ୍ରୀଷ୍ଟାବ୍ଦ ନଭେମ୍ବର ମାସ ୯ ତାରିଖ ମଙ୍ଗଳବାର ଦିବସ ମଧ୍ୟାହ୍ନ ୧୦ ଘଣ୍ଟା ୪୮ ମିନିଟ ସମୟରେ ଲଣ୍ଡନ ନଗରସ୍ଥ ବଙ୍କିଂହାମ ରାଜପ୍ରାସାଦରେ ଜନ୍ମଗ୍ରହଣ କରିଥିଲେ । ‘‘ମହାରାଣୀ ଭିକ୍ଟୋରିୟା ପୁତ୍ରସନ୍ତାନ ପ୍ରସବ କରିଅଛନ୍ତି’’ ଏହି ସୁ ସମାଚାର ପ୍ରଚାର ହେବାମାତ୍ରେ, ବିଶାଳ ବ୍ରିଟିଶ ସମ୍ରାଜ୍ୟରେ ଦୁଇଦିନକାଳ ଅବିଶ୍ରାନ୍ତ ଆନନ୍ଦର ସ୍ରୋତ ପ୍ରବାହିତହେଲା । ତତ୍ପରେ ମହାରାଣୀଙ୍କ ସଦେଶ ଅନୁସାରେ ଯୁବରାଜଙ୍କ କଲ୍ୟାଣ କାମନାରେ ବ୍ରିଟିଶ ସାମ୍ରାଜ୍ୟ ସଚ୍ଚରିତ୍ର ବନ୍ଦୀମାନଙ୍କୁ ମୁକ୍ତିପ୍ରଦାନ କରାଯାଇଥିଲା । ଏହା ଭିନ୍ନ ଦରିଦ୍ର, ଅସମର୍ଥ ଏବଂ ଅସହାୟ ଲୋକମାନଙ୍କୁ ଅନ୍ନ, ବସ୍ତ୍ର ଏବଂ ଅର୍ଥଦାନ କରିବାଦ୍ୱାରା ପରିତୁଷ୍ଟ କରାଯାଇଥିଲା ।

 

୧୮୪୨ ଖ୍ରୀଃ ଜାନୁୟାରୀମାସ ୨୫ ତାରିଖଦିନ ରାଜକୁମାରଙ୍କର ନାମକରଣୋତ୍ସବ ହୋଇଥିଲା । ତହିଁ ସକାଶେ ଲଣ୍ଡନନଗର ବିଶେଷତଃ ତତ୍ରତ୍ୟ ଉଇଣ୍ଡସର ଭଜନାଳୟ ସୁସଜ୍ଜିତ ହୋଇ ସ୍ୱର୍ଗସୁଷମାକୁ ଧିକ୍କାର କରୁଥିଲା । ଭଜନାଗାର, ମହାର୍ହବସନ ଭୂଷଣ ପରିହିତ ସମ୍ଭାନ୍ତ ନରନାରୀ ମାନଙ୍କ ଦ୍ୱାରା ପୂର୍ଣ୍ଣିତ ଦେବାପରେ ଶିଶୁରାଜକୁମାର ସାର୍ଦ୍ଧ ଦଶସହସ୍ରମୁଦ୍ରା ମୂଲ୍ୟରବସ୍ତ୍ର ଏବଂ ମୂଲ୍ୟବାନ୍‌ମଣି-ମାଣିକ୍ୟରେ ମଣ୍ଡିତହୋଇ ଭଜନାଗାରକୁ ନୀତ ହେଲେ । କେଣ୍ଟରବରିର ପ୍ରଧାନ ଧର୍ମ୍ମଯାଜକ, ବହୁପୁରୋହିତ ମଣ୍ଡଳୀ ପରିବେଷ୍ଟିତ ହୋଇ କୁମାରଙ୍କ ‘‘ଏଲବାର୍ଟ ଏଡୋୟାର୍ଡ଼’’ ନାମ ପ୍ରଦାନକଲେ, ଏହି ଏକଦିବସବ୍ୟାପୀ ଉତ୍ସବସକାଶେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟିତ ହୋଇଥିଲା ।

 

କୁମାରଙ୍କର ବୟଃକ୍ରମ ଯେତେବେଳେ ଦଶମାସ ମାତ୍ର ସେହି ସମୟରେ ଜଣେ କପ୍ତାନ, ଜୀବାଦ୍ୱୀପଜାତ ଗୋଟିଏ କ୍ଷୁଦ୍ରକାୟ ଅଶ୍ୱ, ମହାରାଣୀଙ୍କୁ ଉପହାର ଦେବାରୁ ମହାରାଣୀ ତାହା ରାଜକୁମାରଙ୍କୁ ପ୍ରଦାନକଲେ । ଅଶ୍ୱର ଉଚ୍ଚତା ଦେଢ଼ହାତ ମାତ୍ର ଥିବାରୁ ତାହା ତାଙ୍କର ଅଶ୍ୱାରୋହଣ ଶିକ୍ଷାର ଉପଯୋଗୀ ହୋଇଥିଲା, ସୁତରାଂ ସେ ଶୈଶବାବସ୍ଥାରେ ଅଶ୍ୱାରୋହଣବିଦ୍ୟାରେ ପଟୁତା ଲାଭ କରିଥିଲେ ।

 

ପିତା ପ୍ରିନ୍ସଏଲବାର୍ଟ ପୁତ୍ରଙ୍କୁ ସବୁବେଳେ ସ୍ୱୀୟ ସମୀପରେ ରଖୁଥିଲେ । ସମୟେ ସମୟେ ତାହାଙ୍କୁ ପଶୁଶାଳାକୁ ନେଇ ତାଙ୍କର କୋମଳ ପ୍ରାଣରେ ନିରୀହ ଜୀବଜନ୍ତୁ ପ୍ରତି କରୁଣାରଭାବ ହିତ କରାଇ ଦେଉଥିଲେ । କେବେ କେବେ ସମୁଦ୍ରତଟକୁ ନେଇ ପ୍ରାକୃତିକ ତତ୍ତ୍ୱ, ଜାହାଜକୁ ନେଇ ବାଷ୍ପୀୟ ଯନ୍ତ୍ରର ବିବିଧ ତତ୍ତ୍ୱ ବୁଝାଇ ପକଉଥିଲେ । ପିତା, ପୁତ୍ରଙ୍କ ହୃଦୟରେ ଜ୍ଞାନ, ପ୍ରେମ ଓ ଧର୍ମ୍ମ ଲିପ୍ସା ବର୍ଦ୍ଧିତ କରିବା ସକାଶେ ସାଧ୍ୟମତ ଚେଷ୍ଟା କରୁଥିଲେ । ମହାରାଣୀ ଭିକ୍ଟୋରିୟା ମଧ୍ୟ ଯୁବରାଜଙ୍କର ଜ୍ଞାନୋନ୍ନତି ଏବଂ ଚରିତ୍ର ସଙ୍ଗଠନ ବିଷୟରେ ଉତ୍ତମରୁପେ ସ୍ତ୍ରୀୟ କର୍ତ୍ତବ୍ୟ ପାଳନ କରୁଥିଲେ । ସେ ଯୁବରାଜଙ୍କ ଶିକ୍ଷୟିତ୍ରୀଙ୍କୁ ଏହି ଆଦେଶ ଦେଇଥିଲେ ଯେ ଯୁବରାଜଙ୍କ ମନରେ କୌଣସି ପ୍ରକାର ବିଳାସ ଲାଳସା ପ୍ରବେଶ ନକରିବା ପ୍ରତି ସବୁବେଳେ ସତର୍କ ଦୃଷ୍ଟି ରଖିବେ ।’’ ମହାରାଣୀ ଏବଂ ତାଙ୍କର ସ୍ୱାମୀ ପୁତ୍ରଙ୍କୁ ଈଶ୍ୱରବିଶ୍ୱାସୀ କରିବା ସକାଶେ ପ୍ରତିଦିନ ତାଙ୍କୁ ସଙ୍ଗରେ ଘେନି ଉପାସନା କରୁଥିଲେ ।

 

ରାଜକୁମାର ସପ୍ତମ ବର୍ଷରେ ପଦାର୍ପଣ କରିବା ପରେ, ପିତା ମାତା ତାଙ୍କର ଚରିତ୍ର ଏବଂ ଶିକ୍ଷାର ଉନ୍ନତି ସାଧନ ବିଷୟରେ ବିଶେଷ ସାବଧାନତା ସହିତ ସଦୁପାୟମାନ ଅବଲମ୍ବନ କଲେ । ପୁତ୍ର ରାଜପ୍ରାସାଦରେ ରହିଲେ ରାଜସମ୍ମାନ ଏବଂ ବିପୁଳବିଭବ ଦର୍ଶନରେ କାଳେ ବିଳାସୀ ଏବଂ ଅଭିମାନୀ ହୋଇପଡ଼ିବେ ଏହି ଆଶଙ୍କାରେ ଇଂଲଣ୍ଡର ଦକ୍ଷିଣବର୍ତ୍ତୀ ଓୟାଇଟଦ୍ୱୀପରେ-ନିର୍ଜ୍ଜନ ସ୍ଥାନରେ କୁଟୀର ରଚନା କରି ସେହିସ୍ଥାନରେ ଯୁବରାଜଙ୍କର ଅବସ୍ଥାନ ଏବଂ ଶିକ୍ଷାର ସୁବ୍ୟବସ୍ଥା କଲେ । ବ୍ୟବସ୍ଥା ଗୁଣରେ ଯୁବରାଜ ସେଠାରେ ସାଧାରଣ ଗୃହସ୍ଥ ସନ୍ତାନପରି ରହିଥିଲେ । କୁଟୀରସମୀପରେ ଉଦ୍ୟାନ ଏବଂ ଶିଳ୍ପାଗାର ନିର୍ମ୍ମିତ, ହୋଇଥିଲା । ଯୁବରାଜ ଆପଣାର କନିଷ୍ଠ ଭ୍ରାତା ଭଗିନୀମାନଙ୍କ ସହିତ ସେଠାରେ ନାନାବିଧଶିକ୍ଷା ଗ୍ରହଣରେ ନିୟୋଜିତ ହେଲେ । ସ୍ୱହସ୍ତରେ ଭୁମିକର୍ଷଣ, ବୃକ୍ଷରୋପଣ ଏବଂ ଜଳସେଚନ କରି ବିବିଧ ଫଳ, ଫୁଲ ଏବଂ ଶାକସବ୍‌ଜି ଉତ୍ପାଦନ କରିବା, ଗୋ-ସେବା, ଗୋ-ଦୋହନ ଏବଂ କ୍ଷୀର, ସର, ନବନୀତ ପ୍ରସ୍ତୁତ କରିବା, ଇଷ୍ଟକ ନିର୍ମ୍ମାଣକରି ଗୃହ, କାଷ୍ଠ ଛେଦନକରି ନାନାବିଧ ଦ୍ରବ୍ୟ ପ୍ରସ୍ତୁତ କରିବା, ସ୍ଥୂଳତଃ କୁଲି, ମାଳୀ, ଗୋପାଳ ଏବଂ ସୂତ୍ରଧର ପ୍ରଭୃତି ଶ୍ରମଜୀବିମାନଙ୍କର କଠିନ ଶ୍ରମସାଧ୍ୟ କାର୍ଯ୍ୟମାନ ତାଙ୍କର ଅନ୍ୟତମ ଶିକ୍ଷାର ବିଷୟ ହେଲା । ସେଠାରେ ଏକ ଗୃହରେ ପ୍ରାଣୀଦେହ, ବୃକ୍ଷଲତା ଓ ପ୍ରସ୍ତରାଦି ସୁସଜ୍ଜିତଥିଲା । ପିତା ସ୍ୱୟଂ ପୁତ୍ରଙ୍କୁ ଏହି ସବୁ ଦ୍ରବ୍ୟ ପ୍ରଦର୍ଶନକରି ଉଦ୍ଭିଦବିଦ୍ୟା, ପ୍ରାଣିତତ୍ତ୍ୱ ଓ ଭୂତବ୍ୱ ଶିକ୍ଷା ଦେଉଥିଲେ । ଉପନ୍ୟାସ ପାଠରେ ଚରିତ୍ର ନଷ୍ଟର ସମ୍ଭାବନ୍ୟା ହେତୁ ଯୁବରାଜ କୌଣସି ପ୍ରକାର ଉପନ୍ୟାସ ପାଠ ନକରିବା ଉପନ୍ୟାସ ପୁସ୍ତକ କେହି ତାଙ୍କୁ ନଦେବା ବିଷୟରେ ପିତା ଏଲବାର୍ଟ କଠୋର ଆଦେଶ ପ୍ରଦାନ କରିଥିଲେ । ଏଲବାର୍ଟ, ଏବଂ ଭିକ୍ଟୋରିୟାଙ୍କର ଅସାମାନ୍ୟ ଯତ୍ନ, ପରିଶ୍ରମ ଏବଂ ସତର୍କତା ବଶତଃ ରାଜକୁମାର ଏଡୋୟାର୍ଡ଼ ଅଳ୍ପ ବୟସରେ ବହୁକାଳସାଧ୍ୟ ବିବିଧବିଦ୍ୟା ଏବଂ ସୁନୀତିର ମୂଳସୂତ୍ର ଆୟତ୍ତ କରିବାକୁ ସମର୍ଥ ହୋଇଥିଲେ ।

 

ଯୁବରାଜ ଗୃହରେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ନିକଟରେ ବାଲ୍ୟଶିକ୍ଷା ସମାପ୍ତକରି ୧୮୫୭ ଖ୍ରୀଃରେ ଦେଶଦର୍ଶନ ଜନିତ ଜ୍ଞାନଶିକ୍ଷା ସକାଶେ ଜର୍ମ୍ମାନୀ ଓ ସୁଇଜରଲାଣ୍ଡକୁ ପ୍ରେରିତହେଲେ, ତେଣୁ ଫେରିଆସି ସୁବିଖ୍ୟାତ ଅଧ୍ୟାପକ ଫାରାଡ଼େଙ୍କ ନିକଟରେ ପ୍ରାକୃତିକବିଜ୍ଞାନ ଶିକ୍ଷାକଲେ । ତତ୍ପରେ ୧୮୫୯ ଖ୍ରୀଃରେ ସେ ଏଡ଼ିନବରା ନଗରକୁ ପ୍ରେରିତ ହେଲେ, ସେଠାରେ ଡାକ୍ତର ପ୍ଳେଫେୟାରଙ୍କ ନିକଟରୁ ରସାୟନ ଶାସ୍ତ୍ର, ଅନ୍ୟାନ୍ୟ ବିଜ୍ଞତମ ବ୍ୟକ୍ତିମାନଙ୍କ ନିକଟରୁ ଆଇନ ଏବଂ ଇତିହାସ ଶିକ୍ଷା କରିଥିଲେ । ଉପରୋକ୍ତ ଶିକ୍ଷା ସମାପ୍ତି ପରେ ସେହିବର୍ଷ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ପ୍ରବେଶ କଲେ । ସେଠାରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କ୍ରାଇଷ୍ଟଚର୍ଚ୍ଚ କଲେଜରେ ଭର୍ତ୍ତି ହୋଇ ନିୟମିତ ସମୟରେ ତତ୍ରତ୍ୟ ଉପାଧି ଲାଭକଲେ । ୧୮୬୧ ଖ୍ରୀଃରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଅନ୍ତର୍ଗତ ଟ୍ରିନଟି କଲେଜରେ ପ୍ରବେଶକରି, ସେହିବର୍ଷ ବାରିଷ୍ଟରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଏହାର ୩ ବର୍ଷପରେ ଡି, ସି, ଏଲ ଉପାଧି ପାଇଥିଲେ-। ସେଠାରେ ଅବସ୍ଥାନ କାଳରେ ଯୁଦ୍ଧ ବିଦ୍ୟା, ନୌକାପରିଚାଳନ ଓ କ୍ରୀକେଟକ୍ରୀଡ଼ାରେ ମଧ୍ୟ ପାରଦର୍ଶିତା ଲାଭକରିଥିଲେ ।

 

ବିଂଶବର୍ଷ ଅତିକ୍ରମ ନକରୁଣୁ ଯୁବରାଜ ଅକ୍ସଫୋର୍ଡ଼, କେମ୍ବ୍ରିଜ ଓ ଏଡ଼ିନବରା ବିଶ୍ୱବିଦ୍ୟାଳୟରେ ଲାଟିନ, ଗ୍ରୀକ, ଫରାସୀ, ଜର୍ମ୍ମାନୀ ପ୍ରଭୃତି ଭାଷା, ଇତିହାସ, ରସାୟନ, ପ୍ରାକୃତିକ ବିଜ୍ଞାନ ପ୍ରଭୃତି ବହୁବିଧ ବିଦ୍ୟାରେ ଯୋଗ୍ୟତା ଲାଭ କରିଥିଲେ । ଏତେଅଳ୍ପ ବୟସରେ ଲୋକମାନେ ଗୋଟିଏ ବିଦ୍ୟା ବା ଭାଷାରେ ଯୋଗ୍ୟତା ଉପାର୍ଜ୍ଜନ କରିପାରୁନଥିବାସ୍ଥଳେ ରାଜକୁମାର ବହୁବିଧଭାଷା ଏବଂ ବହୁବିଧବିଦ୍ୟାରେ ପାଣ୍ଡିତ୍ୟ ଲାଭକରିବା ତାଙ୍କର ଅସାମାନ୍ୟ ପ୍ରତିଭାର ପରିଚାୟକ ।

 

୧୮୬୧ ଖ୍ରୀଃ ଡିସେମ୍ବର ମାସ ୧୪ ତାରିଖ ରାତ୍ରରେ ରାଜକୁମାର ପିତୃଶୂନ୍ୟ ହେଲେ-। ସେ ସମୟରେ ସେ ଦେଶର ବିଖ୍ୟାତ ଲୋକମାନେ କହିଥିଲେ,- ‘‘ପିତାଙ୍କର ମୃତ୍ୟୁର ରାଜକୁମାର ଯେପରି ଶୋକାର୍ତ୍ତ ହୋଇଥିଲେ ତାହା ବର୍ଣ୍ଣନୀୟ ନୁହେ ।’’

 

୧୮୬୩ ଖ୍ରୀଃ ମାର୍ଚ୍ଚ ମାସ ୧୦ ତାରିଖ ଦିନ ଯୁବରାଜ ଏଡୋୟାର୍ଡ଼ ଡେନମାର୍କର ରାଜକୁମାରୀ ଆଲେକ୍‌ଜାନ୍ଦ୍ରାଙ୍କର ପାଣି ଗ୍ରହଣକଲେ । ଯୁବରାଜପତ୍ନୀଙ୍କର, ଶୁଭ-ପଦାର୍ପଣ-ଉତ୍ସବ ଉପଲକ୍ଷେ ଲଣ୍ଡନ ନଗରର ଅଧିବାସୀମାନେ ୬ ଲକ୍ଷ ଟଙ୍କା ବ୍ୟୟକରି ନଗର ସଜ୍ଜା ଏବଂ ନାନାବିଧ ଉତ୍ସବ କରିଥିଲେ । ବିବାହ ସମୟରେ ଶ୍ରୀମତୀ ଆଲେକ୍‍ଜାନ୍ଦ୍ରା ଦେଶ ବିଦେଶରୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଉପଢ଼ୌକନ ସ୍ୱରୁପ ପାଇଥିଲେ ।

 

ଯୁବରାଜଙ୍କପରି, ଦେଶ ପର୍ଯ୍ୟଟନକାରୀ ରାଜପୁତ୍ର ଦ୍ୱିତୀୟ ନାହାନ୍ତି । ସେ ୭ ବର୍ଷ ବୟସରୁ ଦେଶଭ୍ରମଣ କରିବା ଆରମ୍ଭକରି ୧୯ ବର୍ଷ ବୟସ ମଧ୍ୟରେ ଇଉରୋପ, ଆମେରିକା, ଆସିୟା ଓ ଆଫ୍ରିକାର ନାନାସ୍ଥାନ ପର୍ଯ୍ୟଟନ କରିଥିଲେ । ତାଙ୍କର ଭ୍ରମଣ ସମ୍ବନ୍ଧରେ ଏତିକି କହିଲେ ଯଥେଷ୍ଟ ହେବଯେ ପୃଥିବୀରେ ଏପରି କୌଣସି ସଭ୍ୟଦେଶ ନାହିଁ-ଯେଉଁଦେଶକି ସେ ଦର୍ଶନ କରିନାହାନ୍ତି । ଏହି ଭ୍ରମଣଶୀଳତା ବଶତଃ ସେ ଯେ ବିଶେଷ ବହୁଦର୍ଶିତା ଲାଭକରି ସ୍ୱାୟୀ ଜ୍ଞାନର ପରିସର ବୃଦ୍ଧି କରିଅଛନ୍ତି ଏକଥା କହିବା ବାହୁଲ୍ୟ ମାତ୍ର ।

 

ଯୁବରାଜ ମହୋଦୟ ୧୮୭୫ ଖ୍ରୀଃ ନଭେମ୍ବର ମାସ ୯ ତାରିଖଦିନ ଏଦେଶକୁ ଶୁଭାଗମନ କରିଥିଲେ । ତାଙ୍କର ଭାରତ ଭ୍ରମଣ ବ୍ୟୟନିମନ୍ତେ ପାର୍ଲେମେଣ୍ଟ ମହାସଭା ୨୨ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର କରିଥିଲେ । ତାଙ୍କର ଆଗମନ ଉପଲେକ୍ଷେ ଭାରତର ଏକ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ ଆନନ୍ଦ ତରଙ୍ଗ ବିସ୍ତୃତ ହୋଇଥିଲା । ତାଙ୍କର ସମ୍ମାନ-ସମାଦର ସକାଶେ ଭାରତର ଦରିଦ୍ର ପ୍ରଜାଠାରୁ ଧନକୁବେର ମହାରାଜା ପର୍ଯ୍ୟନ୍ତ ଅକାତରରେ ଧନପ୍ରାଣ ବିୟୋଗ କରିଥିଲେ । ଆନନ୍ଦୋତ୍ସବର ସୀମା ନଥିଲା । ଯୁବରାଜ ଭାରତର ସମସ୍ତ ପ୍ରଧାନ ସ୍ଥାନମାନ ପରିଦର୍ଶନାନ୍ତେ ଫେରିଯାଇ ମେ ମାସ ୧୧ ତାରିଖ ଦିନ ଇଂଲଣ୍ଡରେ ଉପନୀତ ହେଲେ । ସେ ଦେଶରୁ ୫୦୦ ଜୀବଜନ୍ତୁ, ଚାରିଗୋଟି କୃଷ୍ଣସାର ମୃଗଦ୍ୱାରା ବାହିତ ଖଣ୍ଡିଏ ମନୋହର ଶକଟ ଏବଂ ୭୫ ଲକ୍ଷ ମୁଦ୍ରା ମୂଲ୍ୟର ଅନ୍ୟାନ୍ୟ ବହୁବିଧ ସାମଗ୍ରୀ ଉପଢ଼ୌକନ ସ୍ୱରୂପ ପାଇଥିଲେ । ଯୁବରାଜ ଭାରତବର୍ଷରୁ ଅନେକ ମୂଲ୍ୟବାନ୍‌ପଦାର୍ଥ ଉପହାର ସ୍ୱରୂପ ପାଇଥିବା ଏବଂ ଭାରତବାସୀମାନେ ଆନ୍ତରିକ ଭକ୍ତିର ସହିତ ଯୁବରାଜଙ୍କର ବିଶେଷ ସମ୍ମାନ-ସମାଦର କରିବାଦ୍ୱାରା ଗଭୀର ରାଜଭକ୍ତିର ସୁନ୍ଦର ପରିଚୟ ପ୍ରଦାନକରିଥିବାର ଶ୍ରବଣକରି ଆମ୍ଭମାନଙ୍କର ସ୍ୱର୍ଗୀୟାମହାରାଣୀ, ତତ୍‌କାଳୀନ ମନ୍ତ୍ରୀ ସମାଜ ଏବଂ ଇଂଲଣ୍ଡର ଜନ ସାଧାରଣ ଆନନ୍ଦରେ ଅଧିର ହୋଇଥିଲେ । ଅନ୍ୟାନ୍ୟ ଦେଶର ଶ୍ରୋତାମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ଭାରତବାସୀମାନଙ୍କୁ ରାଜଭକ୍ତି ବିଷୟରେ ପ୍ରଥମ ସ୍ଥାନ ପ୍ରଦାନ କରିଥିଲେ ।

 

ଯୁବରାଜ ମହୋଦୟ ନିଜଜୀବନରେ ବାରମ୍ବାର ବହୁବିଧ ବିପଦରେ ପତିତ ହୋଇମଧ୍ୟ ଜଗଦୀଶ୍ୱରଙ୍କ କରୁଣାବଳରେ ପ୍ରତ୍ୟେକବାର ରକ୍ଷା ପାଇଅଛନ୍ତି । ତାଙ୍କର ବୟଃକ୍ରମ ଯେତେବେଳେ ୭ବର୍ଷ, ସେହି ସମୟରେ ସେ ଦିନେ କର୍ଣ୍ଣେଲ ଗ୍ରେ ନାମକ ବ୍ୟକ୍ତିଙ୍କ ସଙ୍ଗରେ ଶିକାର ଦେଖିବାକୁ ଯାଇଥିଲେ, ଗୋଟିଏପକ୍ଷୀ ଯୁବରାଜଙ୍କ ନିକଟଦେଇ ଉଡ଼ିଯାଉଥିବାର ଦେଖି ଲର୍ଡ଼କ୍ୟାନିଂ ସେହି ପକ୍ଷୀକୁ ଲକ୍ଷ୍ୟକରି ବନ୍ଧୁକର ଗୁଳି ନିକ୍ଷେପକଲେ । କର୍ଣ୍ଣେଲ ଗ୍ରେ ବିପଦର ପୂର୍ଣ୍ଣ ସମ୍ଭାବନା ଦେଖି ଧକ୍କାମାରି ଯୁବରାଜଙ୍କୁ ଭୂମିରେ ନିକ୍ଷେପ କଲେ । ତାଙ୍କର ପ୍ରତ୍ୟୁତ୍ପନ୍ନମତିତ୍ୱ ଗୁଣରୁ ଯୁବରାଜ ସେହି ବିପଦରୁ ରକ୍ଷା ପାଇଲେ ସତ୍ୟ, କିନ୍ତୁ ଗୁଳି ତାଙ୍କର ଶରୀରରେ ବିଦ୍ଧ ହେବାରୁ ତାହାଙ୍କୁ ଅନେକ ଦିନଯାଏ ନିଦାରୁଣ ଯନ୍ତ୍ରଣା ଭୋଗକରିବାକୁ ପଡ଼ିଥିଲା ।

 

ଯୁବରାଜ ୧୬ ବର୍ଷ ବୟସରେ ଥରେ ଏକ ହ୍ରଦ ତୀରବର୍ତ୍ତୀ ଉଚ୍ଚପର୍ବତରେ ଉଠୁଥିଲେ-। ହଠାତ୍‌ ପଦସ୍ଫଳନ, ହେବାରୁ ସେ ୭୦ ହାତ ତଳଯାଏ ଗଡ଼ିଆସିଲେ । ସଙ୍ଗରେ ଥିବା ଲୋକମାନେ ଏହି ଆକସ୍ମିକ ବିପଦରେ ଯୁବରାଜଙ୍କ ଜୀବନର ଆଶା ପରିତ୍ୟାଗ କରିଥିଲେ କିନ୍ତୁ ସମୀପବର୍ତ୍ତୀ ହୋଇ ଦେଖିଲେ ଯେ ଶରୀର କ୍ଷତ ବିକ୍ଷତ ହେବା ଭିନ୍ନ ଅନ୍ୟକିଛି ଦୁର୍ଘଟନା ଘଟିନାହିଁ ।

 

୧୮୬୧ ଖ୍ରୀଃ ସେପ୍ଟେମ୍ବରମାସରେ ଯୁବରାଜ ଦିନେ ଆସନରୁଉଠିବା ଅବ୍ୟବହିତ ପରକ୍ଷଣରେ, ଆସନୋପରି ଲମ୍ବିତଥିବା ଦୀପାଧାର-ପ୍ରକାଣ୍ଡ କାଚର ଝାଡ଼ ଦୈବାତ୍ ଖସିପଡ଼ି ନିମ୍ନସ୍ଥ ଆସନସହିତ ନିଜେ ମଧ୍ୟ ଚୂର୍ଣ୍ଣ-ବିଚୂର୍ଣ୍ଣ ହୋଇଗଲା । ଯୁବରାଜଙ୍କ ଆସନପରିତ୍ୟାଗରେ ଦୁଇଏକ ମିନିଟ ବିଳମ୍ବ ହୋଇଥିଲେ କି ଘଟିଥାନ୍ତା ତାହାଆଉ କହିବାକୁ ହେବନାହିଁ ।

 

୧୮୭୧ ଖ୍ରୀଃ ଡିସେମ୍ବର ମାସରେ ଯୁବରାଜ ସାନ୍ନିପାତିକ ବିକାର ରୋଗରେ ଆକ୍ରାନ୍ତ ହୋଇଥିଲେ । ସେହି ଭୀଷଣ ରୋଗର ପ୍ରଦ୍ଭାବ ବୃଦ୍ଧି ହେତୁ ସେହିମାସ ୧୩ ତାରିଖ ଦିନ ସମସ୍ତେ ତାଙ୍କର ଜୀବନ ପ୍ରତି ହତାଶ ହୋଇଥିଲେ । କିନ୍ତୁ ଜଗଦୀଶଙ୍କ କୃପାରୁ ସେ ସେହି ସଙ୍କଟରୁ ମଧ୍ୟ ରକ୍ଷା ଲାଭକଲେ ।

 

ଯୁବରାଜ ଦିନେ ଦ୍ୱିତଳ ଭବନରେ ଅବସ୍ଥାନ କରୁଥିବାବେଳେ ନିମ୍ନତଳରେ ଅଗ୍ନିଲାଗି ଛାତଭାଙ୍ଗି ପଡ଼ିବାରୁ ସେ ଦ୍ୱିତଳ ଗୃହର ଲୌହକଡ଼ିକୁଧରି ଓହଳରହିଲେ, ଅବ୍ୟବହିତପରେ ବହୁ ଲୋକଙ୍କ ସମ୍ମିଳିତ ଚେଷ୍ଟାରେ ଅଗ୍ନିରାଶି ମଧ୍ୟରୁ ଉଦ୍ଧାର ପାଇଲେ ।

 

୧୮୭୨ ଖ୍ରୀଃ ରେ ଯୁବରାଜ ଥରେ ଏକାକୀ ମରୁସାଗରରେ ସ୍ନାନ କରିବାକୁ ଯାଇଥିଲେ । ସେ ସେହି ଲବଣସାଗରରେ ପ୍ରବେଶ କରିବା ମାତ୍ରେ ଜଳଦୋଷରୁ ଅବଶାଙ୍ଗ ହୋଇ ଅଚେତନ ପ୍ରାୟ ଜଳ ଉପରେ ଭାସମାନ ହେଲେ, କେତେକ କ୍ଷଣପାରେ ତାଙ୍କର ଜଣେ ଭୃତ୍ୟ ତାଙ୍କର ଅନୁସନ୍ଧାନରେ ଆସି ତାଙ୍କୁ ଉଦ୍ଧାରକଲା ।

 

୧୮୭୪ ଖ୍ରୀଃରେ ଦିନେ ସେ ସମୁଦ୍ରରେ ଭ୍ରମଣ କରୁଥିବାବେଳେ ଜଳଯାନ ଖଣ୍ଡି ଜଳମଗ୍ନ ହେଲା । ଯୁବରାଜ ସେହି ବିପଦରୁ ଅତି କଷ୍ଟରେ ଜୀବନ ରକ୍ଷା କଲେ ।

 

ଯୁବରାଜ ଅଶ୍ୱରୁ ଅନେକବାର ପତିତ ହୋଇଅଛନ୍ତି । ଦିନେ ସେ ଅଶ୍ୱାରୋହଣରେ ଭ୍ରମଣ କରୁଥିବା ବେଳେ ଗୋଟାଏ ପଳାତକ ଅଶ୍ୱ ତାଙ୍କ ଉପରେ ପଡ଼ି ଅଶ୍ୱସହିତ ତାଙ୍କୁ ଭୂତଳରେ ନିକ୍ଷେପକଲା ସେହି ଆଘାତରେ ସେ ଅନେକ ଦିନ ଶଯ୍ୟାଗତଥାଇ କଷ୍ଟ ଭୋଗ କରିଥିଲେ ।

 

୧୮୯୮ ଖ୍ରୀଃ ର ଜୁଲାଇ ମାସରେ ଦିନେ ସେ ପିଚ୍ଛିଳ ସୋପାନବଳୀ ଅତିକ୍ରମ କରିବାବେଳେ ସ୍ପଳତପଦ ହୋଇ ଭୁପତିତହେଲେ ତହିଁରେ ତାଙ୍କର ଜାନୁସନ୍ଧି ବିକଳ ହେବାରୁ ବହୁଦିନ ଚଳତ୍‌ଶକ୍ତି ବିହୀନ ଅବସ୍ଥାରେ ପଡ଼ିଥିଲେ ।

 

୧୯୦୦ ଖ୍ରୀଃ ରେ ବେଲଜିୟମର ରାଜଧାନୀ ବ୍ରସେଲ୍‌ସ ନଗରର ରେଲଓ୍ୱେ ଷ୍ଟେଶନରେ ସିପିଡ଼ୋ ନାମକ ଏକବ୍ୟକ୍ତି ତାହାଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲା । ଗୁଳ ଲକ୍ଷ୍ୟଭ୍ରଷ୍ଟ ହେବାରୁ ସେ ରକ୍ଷାପାଇଲେ ।

 

ଯୁବରାଜ ଏହିପରି ବାରମ୍ବାର ବହୁବିଧ ବିପଦରେ ପତିତହୋଇ ସୁଦ୍ଧା ବିପଦଭଞ୍ଜନ ଭଗବାନଙ୍କ ଅପାର କରୁଣା ଜଳରେ ରକ୍ଷାପାଇ ଅଛନ୍ତି । ଏତଦ୍‌ଭିନ୍ନ ପ୍ରାଣାଧିକ ଜ୍ୟେଷ୍ଠପୁତ୍ର, ମଧ୍ୟମ ଓ କନିଷ୍ଠଭ୍ରାତା, ଭଗିନୀ ଏଲିସ ଏବଂ ପିତା ମାତା ଏସମସ୍ତଙ୍କର ମୃତ୍ୟୁ, ଜ୍ୟେଷ୍ଠା ଓ କନିଷ୍ଠା ଭଗିନୀଙ୍କ ବୈଧବ୍ୟ ହେତୁ ଯୁବରାଜଙ୍କ ନିଜ ଜୀବନରେ ଅନେକ ମନୋବେଦନା ଭୋଗ କରିବାକୁ ପଡ଼ିଥିଲା ।

 

ଯୁବରାଜଙ୍କ ତିନିଗୋଟି ପୁତ୍ର ଏବଂ ତିନିଗୋଟି କନ୍ୟା ଜାତ ହୋଇଥିଲେ । ଜ୍ୟେଷ୍ଠପୁତ୍ର ଏଲବାର୍ଡ଼ ଭୀକ୍ଟର ୧୮୬୪ ଖ୍ରୀଃରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୮୮୯ ଖ୍ରୀଃ ରେ ଭାରତଭ୍ରମଣ କରିବାକୁ ଆସିଥିଲେ । ଦୁଦ୍ଦୈବବଶତଃ ସେ ୧୮୯୨ ଖ୍ରୀଃରେ ପରଲୋକ ଯାତ୍ରା କରିଅଛନ୍ତି । କନିଷ୍ଠପୁତ୍ର ଯେଉଁଦିନ ଜନ୍ମଗ୍ରହଣ କରିଥିଲେ ସେହିଦିନ କାଳଗ୍ରାସରେ ପତିତ ହୋଇଥିଲେ । ଦ୍ୱିତୀୟ ପୁତ୍ର ପ୍ରିନ୍ସଜର୍ଜ୍ଜ ୧୮୬୫ ଖ୍ରୀଃରେ ଜନ୍ମଗ୍ରହଣ କରିଥିଲେ । ଯୁବରାଜଙ୍କର ବର୍ତ୍ତମାନ ସେହି ଗୋଟିକପୁତ୍ର । ସେ ବର୍ତ୍ତମାନ ଆମ୍ଭମାନଙ୍କର ଯୁବରାଜ । ଈଶ୍ୱର ତାଙ୍କୁ ଦୀର୍ଘଜୀବୀ କରନ୍ତୁ ।

 

ଯୁବରାଜ ଏଡୋୟାଡ଼ି ଯୌବନକାଳରେ ନୃତ୍ୟ, ଗୀତ, ଘୋଡା ଦୌଡ଼ ପ୍ରଭୃତି ଆମୋଦପ୍ରମୋଦରେ ବଡ଼ ଆସକ୍ତ ଥିଲେ ଏବଂ ପଶୁପାଳନରେ ମଧ୍ୟ ତାଙ୍କର ବିଶେଷ ଆଗ୍ରହ ଥିଲା । ସାଣ୍ଡ୍ରିଂହାମ ପ୍ରାସାଦରେ ଅନେକ ଗୋ, ଅଶ୍ୱ, ମେଷ, ଶୂକର ଓ ନାନାଜାତୀୟ ପକ୍ଷୀରଖି ସେମାନଙ୍କୁ ସନ୍ତାନ ନିର୍ବିଶେଷରେ ପାଳନ କରୁଥିଲେ ଏବଂ ଗବାଦି ପଶୁବଂଶର ଉନ୍ନତି ସକାଶେ ଅନେକ ଅର୍ଥ ଓ ସମୟ ବ୍ୟୟ କରୁଥିଲେ । ତାଙ୍କର ଗୋ-ଶାଳାରେ ଯେପରି ଦୁଗ୍ଧବତୀ ଗାଭୀ ଓ ବଳବାନ୍‌ ଷଣ୍ଡ ଜନ୍ମିଥିଲେ ଇଂଲଣ୍ଡର ଆଉ କେଉଁଠାରେ ସେପରି ଦେଖାଯାଏ ନାହିଁ । ଏକଦା ସେ ୬୩ ଗୋଟା ଗାଭୀ ୮,୬୦୦ ଟଙ୍କାରେ, ୮ଗୋଟା ଷଣ୍ଢ ୧୨,୮୦୦ ଟଙ୍କାରେ ବିକ୍ରୟ କରିଥିଲେ-। ଯୁବରାଜଙ୍କ ପାଳିତ ଶୂକର, କୁକ୍କୁଟ, ହଂସ ପ୍ରଭୃତି ମଧ୍ୟ ଅତ୍ୟନ୍ତ ହୁଷ୍ଟପୁଷ୍ଟଥିଲେ ଏବଂ ବହୁମୂଲ୍ୟରେ ବିକ୍ରୀତ ହେଉଥିଲେ । ବିଶାଳ ବ୍ରିଟିଶ ସାମ୍ରାଜ୍ୟର ଅଧୀଶ୍ୱରୀଙ୍କ ପୁତ୍ରହୋଇ ଭାବୀସମ୍ରାଟଙ୍କର ପଶୁପାଳନ, ପଶୁବିକ୍ରୟ, ଭୁମିକର୍ଷଣାଦି କରିବା ଏଦେଶର ଆଡ଼ମ୍ବର ସର୍ଦ୍ଧମ ଲୋକଙ୍କ ପକ୍ଷରେ ଶ୍ରୂତିପ୍ରିୟ ହୋଇନପାରେ, କିନ୍ତୁ ଆମ୍ଭମାନଙ୍କ ବିବେଚନାରେ ଏହା ଯୁବରାଜଙ୍କ ପକ୍ଷରେ ଶାଂଘାତିକ ବିଷୟ । ପଶ୍ଚାତ୍ୟ ଦେଶର ନରପତି ଏବଂ ସମ୍ଭ୍ରାନ୍ତ ବ୍ୟକ୍ତିମାନେ ପଶୁପାଳନପ୍ରତି ଆସ୍ଥାବାନ୍‌ ଅଟନ୍ତି । ଏ ଦେଶର ପ୍ରାଚୀନକାଳର ନରପତି ଏବଂ ନରପତି କଳ୍ପ ଲୋକମାନେ ମଧ୍ୟ ଶ୍ରଦ୍ଧା ଓ ଭକ୍ତିର ସହିତ ପଶୁପାଳନାଦି କରୁଥିବା ଦୃଷ୍ଟାନ୍ତର ଅଭାବନାହିଁ ।

 

ଯୁବରାଜଙ୍କ ପ୍ରକୃତି ସ୍ୱଭାବତଃ ଅତିମଧୁର । କ୍ରୋଧ, ଗର୍ବ ପ୍ରଭୃତ୍ୱ ଉଗ୍ରପ୍ରକୃତି ତାଙ୍କର ଚରିତ୍ରକୁ କେବେହେଲେ କିଛିମାତ୍ର କଳୁଷିତ କରିପାରିନାହିଁ । ସେ ସବୁବେଳେ ପ୍ରଫୁଲ୍ଲଚିତ୍ତରେ ରହୁଥିଲେ ଏବଂ ଅନ୍ୟକୁ ପ୍ରଫୁଲ୍ଲ ରଖିବାକୁ ଚେଷ୍ଟା କରୁଥିଲେ । ପରର ଦୁଃଖରକଥା ଶ୍ରବଣକଲେ ତାଙ୍କର କୋମଳପ୍ରାଣ ଦ୍ରବୀଭୂତ ହୁଏ ଏବଂ ସେ ତହିଁର ସମୁଚିତ ପ୍ରତିବିଧାନ କରିପାରିଲେ ଅତ୍ୟନ୍ତ ଆନନ୍ଦ ଉପଭୋଗ କରନ୍ତି । ସେ ଯୋଗ୍ୟ ଜନକ-ଜନନୀଙ୍କର ଅନୁରୂପ ସନ୍ତାନ । ହୃଦୟର କୋମଳବୃତ୍ତି ଗୁଡ଼ିକ ତାଙ୍କର ଚରିତ୍ରରେ ବିଶେଷ ଉତ୍‌କର୍ଷ ଲାଭ କରିଥିବାର ପରିଚାୟକ ଅନେକ ଦୃଷ୍ଟାନ୍ତ ଅଛି ପ୍ରବନ୍ଧର କଳେବର ବୃଦ୍ଧି ଏବଂ ପାଠକମାନଙ୍କର ଧୈର୍ଯ୍ୟ ଭୟ ଆଶଙ୍କାରେ ସେସବୁ ଉଲ୍ଲେଖ କରିବାରୁ କ୍ଷାନ୍ତହେଲୁଁ ।

 

୧୯୦୧ ଖ୍ରୀଃ ଜାନୁୟାରୀ ମାସ ୨୨ ତାରିଖ ମଙ୍ଗଳବାର ରାତି ଘ ୭ । ୧୦ ମିନିଟ ସମୟରେ ଆମ୍ଭମାନଙ୍କର ପ୍ରାତଃସ୍ମରଣୀୟ ଭିକ୍ଟୋରିୟାଦେବୀ ମରଧାମ ତ୍ୟାଗ କରିବାରୁ ଯୁବରାଜ ଏଲବାର୍ଟ ଏଡ଼ୋୟାର୍ଡ଼ ‘‘ସପ୍ତମ ଏଡ଼ୋୟାର୍ଡ଼’’ ନାମ ଧାରଣକରି ସିଂହାସନାରୋହଣକଲେ-। ସେହି ସମୟରେ ସେ କହି ଅଛନ୍ତି,-‘‘ମୋର ପରମପୂଜନୀୟା ଜନନୀଙ୍କର ମୃତ୍ୟୁ ହୋଇଅଛି । ଏପରି ଶୋକରଦିନ ମୋର ଆଉ ହେବନାହିଁ । ଏକଥା କହିବା ବାହୁଲ୍ୟ ଯେ ମୁଁ ଚିରଦିନ ମାତାଙ୍କ ପଦାନୁସରଣ କରିବି । ଯେ ଗୁରୁଭାର ମୋ ଉପରେ ପତିତ ହୋଇଅଛି ତାହା ନିଜମସ୍ତକରେ ଧାରଣ କରିବା ସମୟରେ ମୁ ସମସ୍ତଙ୍କୁ ମୋର ଏହିସଙ୍କଳ୍ପ ଜଣାଉଅଛି ଯେ;-‘‘ମୁଁ ପ୍ରକୃତ ପକ୍ଷରେ ବ୍ୟବସ୍ଥାନୁସାରେ ରାଜ୍ୟଶାସନ କରିବି । ଯେତେଦିନ ବେଦରେ ପ୍ରାଣଥିବ, ସେତେଦିନ ପ୍ରଜାବୃନ୍ଦଙ୍କର କଲ୍ୟାଣ ବର୍ଦ୍ଧନରେ ନିଯୁକ୍ତ ରହିବି ।’’ ଇତ୍ୟାଦି ।

 

ସେହି ଜାନୁୟାରୀମାସ ୨୩ ତାରିଖଦିନ ପାର୍ଲ୍ୟାମେଣ୍ଟର ସଭ୍ୟମାନେ ଶପଥ ପୂର୍ବକ ନବୀନରାଜାଙ୍କ ବଶତା ସ୍ୱୀକାରକଲେ । ପରଦିନ ଘୋଷକମାନେ ତୁରୀଭେଦୀ ବଜାଇ ନୂତନ ରାଜାଙ୍କର ସିଂହାସନାରୋହଣ ବାର୍ତ୍ତା ନଗରେ ନଗରେ ଘୋଷଣା କଲେ ।

 

ପରବର୍ତ୍ତୀ ଫେବୃୟାରୀ ୪ ତାରିଖଦିନ ନବୀନସମ୍ରାଟ ଭାରତର ରାଜା ଓ ପ୍ରଜାମାନଙ୍କ ନିକଟକୁ ଯେଉଁପତ୍ର ଲେଖିଥିଲେ, ତାହାର ଅନୁବାଦ ନିମ୍ନରେ ସନ୍ନିବେଶିତ ହେଲା ।

 

‘‘ଭାରତବର୍ଷର ରାଜନ୍ୟବର୍ଗ ଓ ପ୍ରଜାପୁଞ୍ଜ ।

 

‘‘ଆମ୍ଭର ମମତାସ୍ପଦ ଜନନୀଙ୍କ ନିମିତ୍ତ ଆମ୍ଭେ ନିରତିଶୟ ଶୋକ ସନ୍ତପ୍ତ ହୋଇଅଛୁଁ । ତାଙ୍କର ଶୋକାବହ ମୃତ୍ୟୁଘଟନାରେ ଆମ୍ଭେ ପ୍ରାଚୀନ ଓ ସୁଦୂରବଂଶ-ପରମ୍ପରାଗତ-ରାଜସିଂହାସନରେ ଉତ୍ତରାଧିକାର ସୂତ୍ରରେ ଅଧିରୂଢ଼ ହୋଇଅଛୁଁ । ବର୍ତ୍ତମାନ ଆମ୍ଭେ ଭାରତୀୟ ରାଜ୍ୟ ସମୂହର ଶାସନକାରୀ ରାଜନ୍ୟବର୍ଗ ଏବଂ ଆମ୍ଭର ଭାରତରାଜ୍ୟର ଅଧିବାସୀମାନଙ୍କୁ ଆମ୍ଭର ସାଦର ‘ଅଭିବାଦନ ପ୍ରେରଣ କରିବା ଏବଂ ସେମାନଙ୍କ ଉଦ୍ଦେଶ୍ୟରେ ଆମ୍ଭର ଆନ୍ତରିକ ମଙ୍ଗଳ କାମନା ବିଶେଷ ଭାବରେ ଜ୍ଞାପନ କରିବା ଇଚ୍ଛା କରୁଅଛୁଁ । ଯେ ଭାରତ ରାଜ୍ୟର ଶାସନ ଭାର ସାକ୍ଷାତ ସମ୍ବନ୍ଧରେ ନିଜହସ୍ତରେ ଗ୍ରହଣକରିଥିଲେ ଏବଂ ସେହି ପ୍ରକାଣ୍ଡ ଭୂଖଣ୍ଡର ଶାସନ କାର୍ଯ୍ୟ ସହିତ ସ୍ୱକୀୟ ଘନିଷ୍ଠତର ସମ୍ବନ୍ଧ ସ୍ଥାପନର ନିଦର୍ଶନସ୍ୱରୂପ ‘ସମ୍ରାଟ’ (ରାଜରାଜେଶ୍ୱରୀ) ଏହି ଉପାଧି ପରିଗ୍ରହ କରିଥିଲେ, ଆମ୍ଭର ସେହି ମହିମାମୟୀ ଓ ବିଳପ୍ୟମାନ ପୂର୍ବାଧିକାରିଣୀହିଁ ଏହିରାଜ୍ୟର ସର୍ବପ୍ରଥମ ଅଧୀଶ୍ୱରୀ । ଭାରତ ସଙ୍କ୍ରାନ୍ତ ଯାବତୀୟ ବିଷୟରେ ସମ୍ରାଟ ମହାରାଣୀ ସ୍ୱକୀୟ ପ୍ରଗାଢ଼ ଓ ଅବିଚଳିତ ଅନୁରାଗ ପ୍ରଦର୍ଶନ କରୁଥିଲେ । ଏବଂ ତାଙ୍କପ୍ରତି ଓ ତାଙ୍କର ସିଂହାସନ ପ୍ରତି ଭାରତବାସୀ କୋଟି କୋଟି ପ୍ରଜାଙ୍କର ରାଜଭକ୍ତି ଓ ପ୍ରୀତିର କଥା ଆମ୍ଭେ ସବିଶେଷ ଅବଗତ ଅଛୁଁ ।’’

 

‘‘ତାଙ୍କର ଗୌରବମଣ୍ଡିତ ସୁଦୀର୍ଘ ରାଜତ୍ୱକାଳର ଶେଷବର୍ଷରେ ଦକ୍ଷିଣଆଫ୍ରିକାର ସମରୋପଲକ୍ଷରେ ଭାରତୀୟ ରାଜନ୍ୟବର୍ଗଙ୍କର ଉଦାରତା ଓ ଦେଶହିତୈଷଣା ପ୍ରଣୋଦିତ ସାହାଯ୍ୟ ଦାନେଚ୍ଛାରେ ଏବଂ ଭାରତୀୟ ସୈନ ଦଳର ସ୍ୱଦେଶ ସୀମାର ବହିର୍ଭାଗରେ ପ୍ରଦର୍ଶିତ ଶୌର୍ଯ ପୂର୍ଣ୍ଣ କାର୍ଯ୍ୟ କଲାପରେ, ଉଲ୍ଲିଖିତ ରାଜଭକ୍ତି ଓ ପ୍ରୀତି ସୁଷ୍ପଷ୍ଟ ପ୍ରତୀୟମାନ ହୋଇଥିଲା ।’’

 

‘‘ତାଙ୍କର ଇଚ୍ଛାନୁସାରେ ଏବଂ ତାଙ୍କରି ଅନୁମତିକ୍ରମେ ଆମ୍ଭେ ଭାରତବର୍ଷ ପ୍ରତିଦର୍ଶନ ଓ ସେହି ପ୍ରସିଦ୍ଧ ପୂରାତନ ସାମ୍ରାଜ୍ୟର ଶାସନକାରୀ ରାଜବର୍ଗ, ପ୍ରଜାପୁଞ୍ଜ ଓ ନଗର ସମୂହର ପରିଚୟଲାଭ କରିଅଛୁଁ । ସେହି ସମୟରେ ଯେ ସଂସ୍କାର ଆମ୍ଭର ଅନ୍ତରରେ ଗଭୀର ଭାବରେ ଅଙ୍କିତ ହୋଇଥିଲା ତାହା ଆମ୍ଭେ କେବେହେଁ ବିସ୍ତୃତ ହେବୁ ନାହିଁ, ଏବଂ ପ୍ରଥମ ସମ୍ରାଟ-ମହାରାଣୀଙ୍କର ମହାଦ୍ଦୃଷ୍ଟାନ୍ତ ଅନୁସରଣକରି ଆମ୍ଭର ଭାରତୀୟ ସକଳ ଶ୍ରେଣୀର ପ୍ରଜାବୃନ୍ଦଙ୍କର ସର୍ବାଙ୍ଗିନ ମଙ୍ଗଳ ସାଧନ କରିବା ଏବଂ ତାଙ୍କ ପରି ସେମାନଙ୍କର ଐକାନ୍ତିକୀ ରାଜଭକ୍ତି ଓ ପ୍ରୀତିରପାତ୍ର ହେବାକୁ ପ୍ରୟାସୀ ହେବୁଁ ।’’

 

ମହାମହିମ, ରାଜରାଜେଶ୍ୱର, ପଦାନତ ଭାରତବାସୀମାନଙ୍କୁ ଅଭିବାଦନ କରି ମହଦନଃକରଣର ପରିଚୟ ପ୍ରଦାନ କରିଥିଲେ । ତାଙ୍କର ଉପରୋକ୍ତ ମର୍ମ୍ମର ଆଶ୍ୱାସବାଣୀ ଶ୍ରବଣକରି ପରମ ରାଜଭକ୍ତ ଭାରତବାସୀମାନେ ଭକ୍ତି ଏବଂ କୃତଜ୍ଞତା ପରିପ୍ଳୁତ ଚିତ୍ତରେ ଜଗତ୍‍ପିତାଙ୍କ ନିକଟରେ ଏହି ପ୍ରାର୍ଥନା କରିଥିଲେ ଯେ, - ‘‘ନବୀନସମ୍ରାଟଙ୍କର ରାଜତ୍ୱ ଜୟଯୁକ୍ତ ହେଉ, ବିଶାଳ ବ୍ରିଟିଶ ସାମ୍ରାଜ୍ୟର ସର୍ବତ୍ର ଅପ୍ରତିହତ ଶାନ୍ତି ବିରାଜକରୁ, ପାରିବାରିକ ଓ ସାମ୍ରାଜ୍ୟ ସଙ୍କ୍ରାନ୍ତ ନିରବଚ୍ଛିନ୍ନ ସୁଖ ସମୃଦ୍ଧି ସହ ସମ୍ରାଟ ସପ୍ତମ ଏଡ଼ୋୟାର୍ଡ଼ ଦୀର୍ଘକାଳ ପ୍ରଜାପାଳନ କରନ୍ତୁ ।’’ କୋଟି କୋଟି ନରନାରୀଙ୍କ ଭକ୍ତି ବିଜୟିନୀ ପ୍ରାର୍ଥନା ଅବଶ୍ୟ ସଫଳ ହେବ ସନ୍ଦେହ ନାହିଁ ।

 

ଦକ୍ଷିଣ ଆଫ୍ରିକାରେ ବୁର-ଈଂରେଜ ମାନଙ୍କ ମଧ୍ୟରେ କ୍ରମାଗତ ୩ ବର୍ଷବ୍ୟାପୀ, ଧନ-ପ୍ରାଣ କ୍ଷୟକର ଯେଉଁ ମହାସମର ଲାଗିଥିଲା ତାହା ରହିତ ହୋଇଅଛି । ସମ୍ରାଟ ଦୁର୍ଦ୍ଧର୍ଷ ବୁରମାନଙ୍କ ସହିତ ସନ୍ଧି ସ୍ଥାପନକରି ସେମାନଙ୍କୁ ସୁବଶରେ ଆଣି ଅଛନ୍ତି । ସମ୍ରାଟଙ୍କ ଯୋଗେ ଶାନ୍ତି ସଂସ୍ଥାପିତ ହେବାରୁ ସମସ୍ତେ ତାହାଙ୍କୁ ସାଧୁବାଦ ଦେଉ ଅଛନ୍ତି ।

 

ଚଳିତବର୍ଷ ଗତ ଜୁନ୍‍ମାସ ୨୬ ତାରିଖ ଦିନ ସମ୍ରାଟଙ୍କ ରାଜ୍ୟାଭିଷେକ ଉପଲକ୍ଷେ ଲଣ୍ତନନଗରରେ ଅସାଧାରଣ ଉତ୍ସବାନୁଷ୍ଠାନର ଆୟୋଜନ ହୋଇଥିଲା । ଅଭିଷେକୋତ୍ସବରେ ଯୋଗଦେବା ସକାଶେ ଦେଶ ବିଦେଶର ଅନେକ ଆହୂତ ଅନାହୂତଲୋକ ଲଣ୍ଡନରେ ଉପସ୍ଥିତ ହୋଇଥିଲେ, କିନ୍ତୁ ସମ୍ରାଟଙ୍କର ତଳିପେଟର ଅଭ୍ୟନ୍ତରରେ ଗୋଟିଏ ପ୍ରକାଣ୍ଡ ସ୍ଫୋଟକ ବାହାରି ବିଶେଷ ଯନ୍ତ୍ରଣା ପ୍ରଦାନ କରିବାରୁ ଅସ୍ତ୍ରଚିକିତ୍ସାର ଆବଶ୍ୟକ ହେଲା । ଏହି କାରଣରୁ ଅଭିଷେକ କାର୍ଯ୍ୟ ଅନିର୍ଦ୍ଦଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରହିଲା । ସହସା ଅଭିଷେକ ବନ୍ଦହେବାରୁ ଅନେକଲୋକ ବିଶେଷ କ୍ଷତିଗ୍ରସ୍ତ ହେଲେ । ସମ୍ରାଟ ଏହିସବୁକଥା ସ୍ମରଣକରି କହିଥିଲେ ‘‘ମୋର ପ୍ରଜାମାନେ କି ମୋତେ କ୍ଷମାକରିବେ ନାହିଁ ।’’ ତାଙ୍କର ରୋଗମୁକ୍ତି ସକାଶେ ଭାରତର ନାନାସ୍ଥାନରେ ଦେବାର୍ଚ୍ଚନ, ଦରିଦ୍ରସେବା ହୋଇଥିଲା । ତାଙ୍କର ପୀଡ଼ାହେତୁ ଆମ୍ଭେମାନେ କାତର ଥିବାର ଶୁଣି ସେ ଆମ୍ଭମାନଙ୍କ ରାଜଭକ୍ତିର ପ୍ରଶଂସା କରି ଧନ୍ୟବାଦ ପ୍ରଦାନ କରି ଅଛନ୍ତି । ସେ ଯାହା ହେଉ ଜଗଦୀଶ୍ୱର କୋଟି କୋଟି ପ୍ରଜାଙ୍କ କାତର ପ୍ରାର୍ଥନା ଗ୍ରହଣ କରି ଅଛନ୍ତି । ସମ୍ରାଟ ବର୍ତ୍ତମାନ ସୁସ୍ଥକାୟ ।

 

ଅଦ୍ୟ (୧୯୦୨ ଖ୍ରୀଃ ଅଗଷ୍ଟମାସ ୯ ତାରିଖ ଦିନ) ଆମ୍ଭମାନଙ୍କର ଭାଗ୍ୟବିଧାତା, ସପ୍ତମ ଏଡ଼ୋୟାର୍ଡ଼ ମହୋଦୟ ଯଥାରୀତି ରାଜ୍ୟାଭିଷିକ୍ତ ହେବେ । ତଦୁପଲକ୍ଷେ ସମଗ୍ର ବ୍ରିଟିଶ ରାଜ୍ୟରେ ପୁଣି ଉତ୍ସାହ ଓ ଆନନ୍ଦର ସ୍ରୋତ ପ୍ରବାହିତ ହେଉଅଛି । ଇଂଲଣ୍ଡର ରାଜଧାନୀ-କମଳାଙ୍କ କଳ୍ପକାନନ ଲଣ୍ଡନ ନଗରରେ ଇଂଲଣ୍ଡର ଐଶ୍ୱର୍ଯ୍ୟ ଓ ରାଜମହିମାର ଅନୁରୂପ ଉତ୍ସବ ଲାଗିଅଛି । ସମ୍ରାଟଙ୍କ ନିମନ୍ତ୍ରଣ ଅନୁସାରେ ପୃଥିବୀର ଅନେକ ଗଣ୍ୟମାନ୍ୟ ଲୋକ ଉତ୍ସବରେ ଯୋଗ ଦେଇ ଅଛନ୍ତି । ନାନ ଦିଗ୍ଦେଶାଗତ ଦର୍ଶକ ସଂଖ୍ୟା ମଧ୍ୟ ଅଳ୍ପନୁହେଁ । ଭାରତବର୍ଷର କତିପୟ ନରପତି ଏବଂ ପ୍ରଜା-ପ୍ରତିନିଧି ନିମନ୍ତ୍ରିତ ହୋଇ ଯାଇଅଛନ୍ତି । ଏହି ଶୁଭଅଭିଷେକ ଉପଲକ୍ଷେ ଭାରତବର୍ଷର ମଧ୍ୟ ଆନନ୍ଦୋତ୍ସବ ହେଉଅଛି । ପରମ ରାଜଭକ୍ତ ଖଲ୍ଲିକୋଟ ଏବଂ ଅଷ୍ଟଦୁର୍ଗାଧୀଶ୍ୱରଙ୍କଯୋଗେ ଏହି ଶୁଭଦିନରେ ଖଲ୍ଲିକୋଟ ରାଜଧାନୀ ଆଜି ଚିତ୍ତହର ନବବେଶ ଧାରଣ କରିଅଛି -ରାଜା ପ୍ରଜା ସମସ୍ତେ ଆଜି ଆନନ୍ଦୋତ୍ସବରେ ବିଭୋର । ଅକୃତ୍ରିମ ରାଜଭକ୍ତି ପ୍ରକାଶକ ଏପରି ଉତ୍ସବ ପୃଥିବୀରେ ଅତି ଅଳ୍ପ ଦେଖାଯାଏ ।

 

ସମ୍ରାଟଙ୍କ ନାନାସ୍ଥାନବାସୀ ପ୍ରଜାମାନେ ଆଜି ଏକବାକ୍ୟ ହୋଇ କହୁଅଛନ୍ତି,-‘‘ଦୟାମୟ, ମଙ୍ଗଳନିଧାନ, ପରମେଶ୍ୱର ଆମ୍ଭମାନଙ୍କର ମହାରାଜା ଏବଂ ମହାରାଣୀଙ୍କୁ ରକ୍ଷା ଏବଂ ସାହାଯ୍ୟ କରନ୍ତୁ ଏବଂ ଯେ ବିଶାଳ ସାମ୍ରାଜ୍ୟର ଭାର ରାଜରାଜେଶ୍ୱରଙ୍କ ଉପରେ ନ୍ୟସ୍ତଅଛି, ତାହା ନ୍ୟାୟ ଏବଂ ଦୟାର ସହିତ ଶାସନ ଓ ସଂରକ୍ଷଣ କରିବାର ବାସନା ତାଙ୍କର ଅନ୍ତରରେ ଜାଗରୁକ କରନ୍ତୁ ।

 

ହେ ସମ୍ରାଟ ସପ୍ତମ ଏଡ଼ୋୟାର୍ଡ଼ । ଭବଦୀୟ ରାଜ୍ୟାଭିଷେକ ଉପଲବ୍‌ଧି ପ୍ରାୟ ୧ କୋଟି ୧୫ ଲକ୍ଷ ବର୍ବମାଇଲ ଅର୍ଥାତ୍‌ ପୃଥିବୀର କଞ୍ଚିଦଧିକ ପଞ୍ଚମାଂଶ ବ୍ୟାପୀ ବିଶାଳ ବ୍ରିଟିଶ ସାମ୍ରାଜ୍ୟର ସର୍ବତ୍ର ଆଜି ଯେଉଁ ଆନନ୍ଦୋତ୍ସବ ଲାଗିଅଛି ଏହା ଭବଦୀୟ ସ୍ୱର୍ଗୀୟା ଜନନୀଦେବୀଙ୍କର ଏବଂ ଶ୍ରୀଛାମୁଙ୍କର ପ୍ରଗାଢ଼ ନ୍ୟାୟନିଷ୍ଠା ଏବଂ ପ୍ରଜାବତ୍ସଳତାର ଉଜ୍ଜ୍ୱଳ ନିଦର୍ଶନ-। ଆମ୍ଭେମାନେ ଏହି ଶୁଭ ଅଭିଷେକ ବାସରରେ ଈଶ୍ୱରଙ୍କ ନିକଟରେ ପ୍ରାଚୀନ କବି ବାକ୍ୟର ଏହି ପ୍ରାର୍ଥନା କରୁଅଛୁଁ ଯେ,-

 

ଲକ୍ଷ୍ମୀସ୍ତେ ପଙ୍କଜାକ୍ଷୀ ନିବସତୁ ଭବନେ ଭାରତୀ କଣ୍ଠଦେଶେ,

ବର୍ଦ୍ଧନ୍ତାଂ ବନ୍ଧୁବର୍ଗାଃ ପ୍ରବଳରିପୁଗଣା ଯାନ୍ତୁ ପାତାଳଂ ମୂଳଂ ।

ଦେଶେ ଦେଶେ ସୁକୀର୍ତ୍ତିଃ ପ୍ରସରତୁ ଭବତଃ କୁନ୍ଦପୂର୍ଣ୍ଣେନ୍ଦୁ ଶୁଭା

ଜୀୟସ୍ତ୍ୱଂ ପୁତ୍ରଫୌତୈର୍ବି ବିଧଗୁଣଯତ୍ୟୈଃସ୍ୱସ୍ତି ତେ ନିତ୍ୟାମାସ୍ତାଂ ।

Image